ଦିଲ୍ଲୀରେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ଦୁର୍ଘଟଣାର ତଦନ୍ତ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି କରିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ଓ ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଛି ।ସୋମବାର ରାତିରେ ବିସ୍ଫୋରଣ ପରେ ଏନଆଇଏ ଏବଂ ଏନଏସଜି ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ଏହି ବିସ୍ଫୋରଣ ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପଟେ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରି କଥା ହୋଇଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ଆଙ୍ଗୋଲା ଗସ୍ତରେ ରହିଛନ୍ତି। ସେଠାରୁ ସେ ଶାହଙ୍କୁ ଫୋନ କରି ଘଟଣା ବିଷୟରେ ପଚାରି ବୁଝିଥିଲେ।ସୂତ୍ର ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ଓ ଏନଆଇଏ ମହାନିର୍ଦ୍ଦେଶକ ବସନ୍ତ ଦାତେ ପ୍ରମୁଖ ସାମିଲ ଥିଲେ । ଅନ୍ୟପଟେ ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନଲିନ ପ୍ରଭାତ ଡିଜିଟାଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ ।
ଦିଲ୍ଲୀ ପୋଲିସ ଏହି ମାମଲାରେ ବେଆଇନ ଗତିବିଧି (ନିରୋଧ) ଅଧିନିୟମ ଓ ବିସ୍ଫୋଟକ ଅଧିନିୟମରେ ଆତଙ୍କବାଦୀ ଆକ୍ରମଣ ମାମଲାର ଷଡ଼ଯନ୍ତ୍ରରେ ଏକ ଏଫଆଇଆର୍ ରୁଜୁ କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ଲାଲକିଲ୍ଲା ନିକଟରେ ଯେଉଁ କାରରେ ସୋମବାର ସଂଧ୍ୟାରେ ବିସ୍ଫୋରଣ ହୋଇଥିଲା, ତାର ଚାଳକ କଥିତ ରୂପେ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହ ଜଡ଼ିତ ଥିଲା । ପୋଲିସ ସୂତ୍ର ଅନୁସାରେ ପ୍ରାଥମିକ ଯାଞ୍ଚର ସଂକେତ ମିଳିଛି ଯେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ସମ୍ଭବତଃ ଅମୋନିୟମ ନାଇଟ୍ରେଟ୍, ଇନ୍ଧନ ତୈଳ ଓ ଡେଟୋନେଟର ବ୍ୟବହାର କରାଯାଇଛି ।






