ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୨ ନମ୍ବର ଖୁଆଡ଼ରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଛି। ଶାବକଟି ଜୁଲାଇ ୯ ତାରିଖ ଅପରାହ୍ନ ୫ଟା ୨୫ ମିନଟରେ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।୨୦୨୪ ଜୁନ୍ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା। ଏହି ନବଜାତ ଛୁଆର ବାପା ଏବଂ ମା’ ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର ୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା। ଏହି ନବଜାତକର ଜନ୍ମପରେ ଚିଡ଼ିଆଖାନାରେ ମୋଟ୍ ଗୟଳସଂଖ୍ୟା ୧୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦ ପୁରୁଷ, ୩ ମାଈ ଏବଂ ୧ ଛୁଆ ଥିବାର ଜଣାପଡ଼ିଛି। ଗାଈ ପ୍ରଜାତି ମଧ୍ୟରେ ଗୟଳ ହେଉଛି ସର୍ବବୃହତ । ଏହାର ମାଂସପେଶୀର ଗଠନ, ଉତ୍ତଳ କପାଳଧାର ଏବଂ ଗୋଡ଼ରେ ହାଲୁକା ରଙ୍ଗ ଯୋଗୁ ସେ ଗୟଳ ଭାବେ ବେଶ୍ ପରିଚିତ। ଜଙ୍ଗଲ ପରିସଂସ୍ଥାକୁ ବଜାୟ ରଖିବାରେ ତୃଣଭୋଜି ପ୍ରାଣୀ ଗୟଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।