ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ୬୫.୫୬% ମତଦାନ ହୋଇଥିବା ସୂଚନା ମିଳିଛି। ସମସ୍ତ ବୁଥରେ ସୁରୁଖୁରୁରେ ମତଦାନ ଚାଲିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍ପେଣ୍ଡ୍ କରାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍ପେଣ୍ଡ୍ କରାଯାଇଛି। ସସ୍ପେଣ୍ଡ୍ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ।






