ଯାଜପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଳହାଟ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉଭୟଙ୍କ ଗଳାରେ ଗଭୀର କ୍ଷତ ଦେଖାଦେଇଥିବା ବେଳେ ପୁରୁଷଙ୍କ ଗୁପ୍ତାଙ୍ଗ ମଧ୍ୟ ଆଘାତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।ମହିଳା ଜଣକ ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ। ମହିଳା ଏବଂ ତାଙ୍କ ପ୍ରେମିକ ପ୍ରଶାନ୍ତ ନାଥଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ କୋରେଇ ଜାରଦା ଗାଁର ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ କରିଥିଲେ। ମହିଳା କହିଛନ୍ତି, “ମୋ ଶାଶୁଘର ଲୋକେ ମୋତେ ବହୁତ ଅସୁବିଧାରେ ରଖୁଥିଲେ। ବାରମ୍ବାର ମାଡ଼ ମାରୁଥିଲେ। ଏଥିରେ ବିରକ୍ତ ହୋଇ ମୁଁ ଏକ ବର୍ଷ ପୂର୍ବେ ଏହି ପୁରୁଷଙ୍କ ସହ ପଳାଇ ଆସିଥିଲି। ମୋ ଶାଶୁଘର ଲୋକେ ଆମକୁ ସଠିପୁର ବ୍ରିଜ ନିକଟକୁ ଗାଡ଼ିରେ ନେଇ ମୋ ଦିଅର ଓ ମୋ ବଡ଼ ଶ୍ୱଶୁରଙ୍କ ପୁଅ ମିଳିତ ଭାବେ ଆମକୁ ବାନ୍ଧି ବ୍ରିଜରୁ ଫିଙ୍ଗି ଦେଇଥିଲେ।”ସ୍ଥାନୀୟ ଜନସାଧାରଣ ଏହି ନୃଶଂସ ଆକ୍ରମଣରେ ଆଶ୍ଚର୍ଯ୍ୟ ଓ ଆତଙ୍କିତ ହୋଇପଡ଼ିଛନ୍ତି।