ଖୁବ୍ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଏବେ ବି ମନ୍ତିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବାବେଳେ, ନିଗମ, ବୋର୍ଡରେ ମଧ୍ୟ ନିଯୁକ୍ତି ହୋଇନି । ତେଣୁ ବିଜେପି ସଭାପତି ନିର୍ବାଚନ ପରେ ଏବେ ଚର୍ଚ୍ଚା ହେଉଛି ରାଜ୍ୟରେ କାହାକୁ କାହାକୁ ମିଳିବ କ୍ଷମତା ମୁଆଁ ? ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେବେ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରେସରେ ଥିବା ନେତାଙ୍କ ଭିତରେ ଆଗରେ ରହିଛି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ସନାତନ ବିଜୁଳି ପ୍ରମୁଖଙ୍କ ନାଁ। ଅନ୍ୟପଟେ ମନ୍ତ୍ରୀ ନଥିବା ଜିଲ୍ଲା କନ୍ଧମାଳ, କୋରାପୁଟ ଓ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ ମିଳିପାରେ। ଏହା ସହ କିଛି ମନ୍ତ୍ରୀଙ୍କର ବିଭାଗ ମଧ୍ୟ ବଦଳିବା ନେଇ ଚର୍ଚ୍ଚା ବଢିଛି।ରାଜ୍ୟରେ ବିଜେପି ସରକାର ଆସିବା ପରେ ୩୨ଟି ଯାକ ବୋର୍ଡ ଓ ନିଗମରେ ପଦ ଖାଲି ପଡ଼ିଛି । ତେଣୁ ଏହି ସବୁ ପଦରେ ନେତାଙ୍କୁ ଥଇଥାନ କରିବାକୁ ଏବେ ଅଙ୍କ କଷାଯାଉଛି । ଖାସ୍ କରି ଏହି ପଦ ପଦବୀରେ ଦ୍ୱିତୀୟ ପିଢ଼ିର ନେତାଙ୍କୁ ସୁଯୋଗ ମିଳିପାରେ । ଆଉ କିଛି ନେତାଙ୍କୁ ମଧ୍ୟ ଥଇଥାନ କରାଯାଇପାରେ ।