ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l। ଦୀର୍ଘ ସମୟ ଫସି ରହିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ଡାକ୍ତରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ତେବେ ମୂଷା ପାଇଁ ଏଭଳି ଅଘଟଣ ଘଟିଥିବା କହିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।ଟିଲାଗଡ ମାତୃ ଶିଶୁ ବିଭାଗର ତିନି ମହଲା ବିଲ୍ଡିଂରେ ଏଭଳି ଅଘଟଣ ଘଟିଥିଲା । ଗତ ବିଳମ୍ବିତ ରାତିରେ ମହିଳା ଓ ପ୍ରସୂତି ବିଭାଗର ଡାକ୍ତର କିରଣମୟୀ ପଣ୍ଡା ରାଉଣ୍ଡ ସାରି ଫେରିବା ବେଳେ ଲିପ୍ଟରେ ଫସିଯାଇଥିଲେ । ତିନି ମହଲା ବିଲ୍ଡିଂରେ ଲାଗିଥିବା ଏହି ଲିଫ୍ଟ ଅଳ୍ପ ଚାଲିବା ପରେ ହଠାତ୍ ବନ୍ଦ ହୋଇ ଯାଇଥିଲା । ଫଳରେ ସେ ଲିପ୍ଟ ଭିତରେ ହିଁ ଫସି ଯାଇଥିଲେ ।
ଲିଫ୍ଟଟି ତୃତୀୟ ମହଲାରୁ ଆସି ଦ୍ଵିତୀୟ ମହାଲାରେ ବନ୍ଦ ହୋଇ ଯାଇଥିଲା । ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ଦୀର୍ଘ ସମୟର ଚେଷ୍ଟା ପରେ ମଧ୍ୟ ଲିଫ୍ଟ କାମ କରିନଥିଲା ।ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା । ଖବର ପାଇ ଟିଟିଲାଗଡ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହାଇଡ୍ରୋଲିକ କଟର ସାହାଯ୍ୟରେ ଅତି ସାବଧାନତା ସହ ଲିଫ୍ଟ କବାଟ କାଟି ଉକ୍ତ ଡାକ୍ତରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ତେବେ ଏହାର ମୂଳରେ ମୂଷା ଉପଦ୍ରବ କାରଣ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।ଡାକ୍ତରାଣୀ ଜଣକ ଲିଫ୍ଟରେ ପ୍ରାୟ ଦେଢ ଘଣ୍ଟା ଧରି ଫସିଥିବା କୁହାଯାଉଛି।