ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । ‘ବଦମାସ ଟୋକା’ ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଛି କମିଶନରେଟ୍ ପୋଲିସ । ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍ (୪୦)। କୋର୍ଟଚାଲାଣ ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଉଦୟନ ଓଡ଼ିଆ ଆଲବମ୍ ଓ ଚଳଚ୍ଚିତ୍ର ସହ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଠକେଇର ଶିକାର ହୋଇଥିବା ସରୋଜ କୁମାର ସାହୁ ଅଭିଯୋଗ ଅନୁସାରେ, ସେ ବରମୁଣ୍ଡା ଅଞ୍ଚଳରେ ପରିବାର ସହ ରୁହନ୍ତି। ୨୦୨୧ ଅକ୍ଟୋବର ୨୬ରେ ତାଙ୍କୁ ଉଦୟନ ଦେଖାକରି ଷ୍ଟିଲ ପ୍ରୋଜେକ୍ଟ କାର୍ଯ୍ୟର ଉନ୍ନତୀକରଣ ଲାଗି ୩୧.୫୦ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଚୁକ୍ତିପତ୍ର ମଧ୍ୟ ହୋଇଥିଲା। ତେବେ ଏହି ଟଙ୍କା ଫେରାଇବା ପାଇଁ ଉଦୟନ ଏକ ବ୍ୟାଙ୍କ ଚେକ୍ ଦେଇଥିବାବେଳେ ଟଙ୍କା ନ ଥିବାରୁ ତାହା ନାକଚ୍ ହୋଇଯାଇଥିଲା। ସରୋଜ ଅନେକଥର ଉଦୟନଙ୍କୁ ଯୋଗାଯୋଗ କରି ଟଙ୍କା ମାଗିଥିଲେ ମଧ୍ୟ ସେ ଫେରାଉ ନ ଥିଲେ। ଏପରିକି ଉଦୟନ ଧମକ ଦେଇଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ସରୋଜ ସାହୁ ଶେଷରେ ଥାନାର ଦ୍ଵାରସ୍ଥ ହୋଇଥିଲେ ।ଅଭିଯୋଗକାରୀଙ୍କ ସହଯୋଗୀଙ୍କ କହିବା ଅନୁସାରେ, ଉଦୟନ ଅପରାଜିତ ଅନେକ ସିନେମା ଓ ଆଲବମ କରିଛନ୍ତି । ବେସ ଓଲିଉଡର ଜଣେ ଅଭିନେତା ହୋଇ ଏପରି ଠକେଇ କରି ବନ୍ଧା ହେବା ଓଲିଉଡ ଫିଲ୍ମ ଜଗତ ପାଇଁ ଏକ ଲଜ୍ଜାକର ଘଟଣା ।






